OR/Prabhupada 1074 - ଆମେ ଏହି ଭୈାତିକ ଜଗତରେ ଯେଉଁ ସବୁ ଦୁଃଖ ଅନୁଭବ କରୁ -ତାହାର କାରଣ ହେଉଛି ଏହି ଶରୀର



660219-20 - Lecture BG Introduction - New York

ଭଗବଦ୍ ଗୀତାରେ ଅନ୍ୟ ଏକ ସ୍ଥାନରେ ମଧ୍ୟ ଏହା କୁହାଯାଇଛି ଯେ

ଅବ୍ୟକ୍ତୋଽକ୍ଷର ଇତ୍ୟୁକ୍ତସ୍
ତମାହୁଃ ପରମାଂ ଗତିମ୍
ଯଂ ପ୍ରାପ୍ୟ ନ ନିବର୍ତ୍ତନ୍ତେ
ତଦ୍ ଧାମ ପରମଂ ମମ
(BG 8.21)

ଅବ୍ୟକ୍ତ ଅର୍ଥାତ୍ ଅପ୍ରକାଶିତ । ଏପରିକି ଭୈାତିକ ଜଗତର କିଛି ଅଂଶ ମଧ୍ୟ ଆମ ସମକ୍ଷରେ ପ୍ରକାଶିତ ହୋଇନଥାଏ । ଆମର ଇନ୍ଦ୍ରିୟଗୁଡିକ ଏତେ ଅପୂର୍ଣ୍ଣ ଯେ କେତେ ନକ୍ଷତ୍ର ଅଛନ୍ତି ତାହା ଆମେ ଦେଖିବାକୁ ଅସମର୍ଥ, ଏହି ଭୈାତିକ ବ୍ରହ୍ମାଣ୍ତରେ ଅନେକ ଗ୍ରହ ଅଛନ୍ତି । ଅବଶ୍ୟ, ଆମେମାନେ ବୈଦିକ ସାହିତ୍ୟରୁ ଗ୍ରହମାନଙ୍କ ସମ୍ଵନ୍ଧରେ ବିବରଣୀ ପାଇପାରିବା । ଆମେମାନେ ବିଶ୍ଵାସ କରିପାରୁ କିମ୍ଵା ନକରିପାରୁ, କିନ୍ତୁ ସମସ୍ତ ଗୁରୁତ୍ଵପୂର୍ଣ୍ଣ ଗ୍ରହମାନଙ୍କ ସହିତ ଆମର ସମ୍ଵନ୍ଧ ଅଛି, ସେ ସବୁ ବୈଦିକ ସାହିତ୍ୟରେ ବର୍ଣନା କରାଯାଇଅଛି, ବିଶେଷକରି ଶ୍ରୀମଦ୍ ଭାଗବତରେ । କିନ୍ତୁ ଏହି ଚିଦ୍ ଜଗତ, ଯାହାକି ଏହି ଭୈାତିକ ଆକାଶର ବହୁ ଉର୍ଦ୍ଧ୍ଵରେ, ପରସ୍ତସ୍ମାତ୍ତୁ ଭାବୋଽନ୍ୟୋ(BG 8.20), କିନ୍ତୁ ସେହି ଅବ୍ୟକ୍ତ, ସେହି ଅପ୍ରକାଶିତ ଚିଦ୍ ଜଗତ, ହେଉଛି ପରମାଂ ଗତିମ୍, ତେଣୁ, ସେହି ପରମଧାମରେ ପହଞ୍ଚିବା ପାଇଁ ଜଣେ ବ୍ୟକ୍ତି ଇଛା, କାମନା ପୋଷଣ କାରିବା ଉଚିତ୍ । ଏବଂ ଥରେ ସେହି ପରମ ଧାମ ପ୍ରାପ୍ତ ହେଲେ, ଯଂ ପ୍ରାପ୍ୟ, ନ ନିବର୍ତ୍ତନ୍ତେ,ଏହି ଭୈାତିକ ଜଗତକୁ ଫେରିବ ନାହିଁ । ଏବଂ ସେହି ଧାମ ଭଗବାନଙ୍କର ସନାତନ ଧାମ ଅଟେ, ଯେଉଁଠୁ ଆମକୁ ଫେରିବାକୁ ନ ପଡେ, ତାହା ଆମର ଲକ୍ଷ୍ୟ ହେବା... ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି ଯେ, ଭଗବାନଙ୍କର ସେହି ପରମ ଧାମକୁ ପହଞ୍ଚିବା କିପରି ? ତାହା ମଧ୍ୟ ଭଗବଦ୍ ଗୀତାରେ ବର୍ଣନା କରାଯାଇ ଅଛି । ଏହା ଅଷ୍ଟମ ଅଧ୍ୟାୟ, ଶ୍ଳୋକ ୫, ୬, ୭, ୮ ରେ କୁହାଯାଇ ଅଛି । ଭଗବାନ କିମ୍ଵା ଭଗବାନଙ୍କ ଧାମରେ ପହଞ୍ଚିବାର ପ୍ରକ୍ରିୟା ମଧ୍ୟ ସେଥିରେ ଦିଆଯାଇଛି । ଏହା ଏପରି କୁହାଯାଇ ଅଛି:

ଅନ୍ତଃକାଳେ ଚ ମାମେବ
ସ୍ମରନ୍ ମୁକ୍ତ୍ଵା କଳେବରମ୍
ଯଃ ପ୍ରୟାତି ସ ମଦ୍ ଭାବମ୍
ଯାତି ନାସ୍ତ୍ୟତ୍ର ସଂଶୟଃ
(BG 8.5)

ଅନ୍ତଃକାଳେ, ଜୀବନର ଶେଷ ସମୟରେ, ମୃତ୍ୟୁ ସମୟରେ । ଅନ୍ତଃକାଳେ ଚ ମାମେବ । ଯଦି ଜଣେ ବ୍ୟକ୍ତି କୃଷ୍ଣଙ୍କୁ ଚିନ୍ତା କରେ, ସ୍ମରାନ୍, ଯଦି ସେ ମନ ପକେଇ ପାରେ । ମୃତ୍ୟୁ ନିକଟରେ ଥିବା ବ୍ୟକ୍ତି, ମୃତ୍ୟୁ ସମୟରେ, ଯଦି ସେ କୃଷ୍ଣଙ୍କ ରୂପ ସ୍ମରଣ କରେ ଏବଂ ସେହିପରି ଚିନ୍ତା କରୁଥିବା ସମୟରେ, ଯଦି ସେ ଶରୀର ତ୍ୟାଗ କରେ, ତେବେ ସେ ନିଶ୍ଚୟ ଚିଦ୍ ଜଗତରେ ପହଞ୍ଚିଯିବ, ମଦ୍ ଭାବମ୍ । ମଦ୍ ଭାବମ୍ ଅର୍ଥାତ୍ ପରମ ପ୍ରକୃତି । ଯଃ ପ୍ରୟାତି ସ ମଦ୍ ଭାବମ୍ ଯାତି । ମଦ୍ ଭାବମ୍ ଅର୍ଥାତ୍ ପ୍ରକୃତି ପରି, କିମ୍ଵା ପରମପୁରୁଷଙ୍କର ପରମ ପ୍ରକୃତି । ଯାହା ଆମେ ପୂର୍ବରୁ ବର୍ଣନା କରିଛୁ, ଯେ ପରମପୁରୁଷ ଭଗବାନ ସତ୍-ଚିତ୍-ଆନନ୍ଦ ବିଗ୍ରହ ଅଟନ୍ତି(ବ୍ର.ସଂ.୫.୧) । ତାଙ୍କର ନିଜର ସ୍ଵରୂପ ଅଛି, କିନ୍ତୁ ତାଙ୍କର ସ୍ଵରୂପ ଶାଶ୍ଵତ, ସତ୍; ଏବଂ ଜ୍ଞାନପୂର୍ଣ୍ଣ, ଚିତ୍; ଏବଂ ଆନନ୍ଦମୟ, ଆନନ୍ଦ । ଏବେ ଆମେ ଆମର ବର୍ତ୍ତମାନ ଶରୀର ସତ୍-ଚିତ୍-ଅନନ୍ଦ କି ନୁହେଂ ତୁଳନା କରିବା । ନା । ଏହି ଶରୀର ଅସତ୍ । ଏହା ସତ୍ ପରିବର୍ତ୍ତେ ଅସତ୍ ଅଟେ । ଅନ୍ତବନ୍ତ ଇମେ ଦେହା(BG 2.18), ଭଗବତ୍ ଗୀତା ଅନୁସାରେ, ଏହି ଶରୀର ଅନ୍ତବନ୍ତ, ନାଶଶୀଳ । ଏବଂ...ସତ୍-ଚିତ୍-ଆନନ୍ଦ । ସତ୍ ବଦଳରେ ଏହା ଅସତ୍, ଠିକ୍ ତାର ବିପରୀତ । ଏବଂ ଚିତ୍ (ଜ୍ଞାନପୂର୍ଣ୍ଣ) ବଦଳରେ ଏହା ଅଜ୍ଞାନତାରେ ପୂର୍ଣ୍ଣ । ଆମମାନଙ୍କର ଚିଦ୍ ଜଗତ ସମ୍ଵନ୍ଧରେ ଜ୍ଞାନ ନାହିଁ, ନା ଆମର ଏହି ଭୌତିକ ଜଗତ ସମ୍ଵନ୍ଧରେ ସଠିକ ଜ୍ଞାନ ଅଛି । ଅନେକ ଜିନିଷ ଆମକୁ ଜଣା ନାହିଁ, ସେଥିପାଇଁ ଏହି ଶରୀର ଜ୍ଞାନହୀନ ଅଟେ । ଜ୍ଞାନପୂର୍ଣ୍ଣ ବଦଳରେ ଏହା ଜ୍ଞାନହୀନ । ଏହି ଶରୀର ନାଶଶୀଳ, ଅଜ୍ଞାନ, ଏବଂ ନିରାନନ୍ଦ ଅଟେ । ଆନନ୍ଦପୂର୍ଣ୍ଣ ବଦଳରେ, ଏହା ଦୁଃଖପୂର୍ଣ୍ଣ ଅଟେ । ଆମେମାନେ ଏ ଭୌତିକ ଜଗତରେ ଯେଉଁସବୁ ଦୁଃଖ ଭୋଗୁଛୁ, ଏହା ସବୁ ଏହି ଶରୀର ପାଇଁ ଭୋଗିବାକୁ ପଡୁଛି ।