OR/Prabhupada 1075 - ଏହି ଜୀବନର କର୍ମାନୁଯାୟୀ ଆମେମାନେ ଆମର ପରବର୍ତ୍ତୀ ଜୀବନ ପ୍ରସ୍ତୁତ କରୁଛୁ



660219-20 - Lecture BG Introduction - New York

ଭଗବାନ କହୁଛନ୍ତି ଯେ, ଅନ୍ତଃକାଳେ ଚ ମାମେବ ସ୍ମରନ୍ ମୁକ୍ତ୍ଵା କଳେବରମ୍ (BG 8.5) । ଯେଉଁ ବ୍ୟକ୍ତି ଶରୀର ତ୍ୟାଗ ସମୟରେ ଭଗବାନ କୃଷ୍ଣ, ପରମପୁରୁଷ ଭଗବାନଙ୍କୁ ସ୍ମରଣ କରେ, ସେ ସଙ୍ଗେ ସଙ୍ଗେ ସତ୍-ଚିତ୍-ଆନନ୍ଦ-ବିଗ୍ରହ(ବ୍ର.ସ.୫.୧) ପରି ଦିବ୍ୟଶରୀର ଲାଭ କରେ । ଏହି ଶରୀର ତ୍ୟାଗ କରିବା ଏବଂ ଆଉ ଗୋଟିଏ ଶରୀର ଲାଭ କରିବାର ପନ୍ଥା ମଧ୍ୟ ଏ ଭୌତିକ ଜଗତରେ ସଂଗଠିତ ହୋଇଅଛି । ଜଣେ ବ୍ୟକ୍ତି ତାର ପରବର୍ତ୍ତୀ ଜୀବନରେ କେଉଁ ଶରୀର ପାଇବ ତାହା ନିଶ୍ଚିତ ହେଲାପରେ ସେ ମୃତ୍ୟୁବରଣ କରେ । କିନ୍ତୁ ତାହା ଉଚ୍ଚଅଧିକାରୀଗଣ ସୁନିଶ୍ଚିତ କରନ୍ତି । ଯେପରିକି ଆମର କାର୍ଯ୍ୟାନୁଯାୟୀ ଆମର ଉନ୍ନତି କିମ୍ଵା ଅବନତି ହେବ । ସେହିପରି, ଆମର କାର୍ଯ୍ୟାନୁଯାୟୀ ଆମେ..... ଏହି ଜୀବନର କର୍ମ, ଏହି ଜୀବନର କର୍ମ ପରବର୍ତ୍ତୀ ଜୀବନ ନିମିତ୍ତ ପ୍ରସ୍ତୁତୀକରଣ ଅଟେ । ଏହି ଜୀବନର କର୍ମାନୁଯାୟୀ ଆମେମାନେ ଆମର ପରବର୍ତ୍ତୀ ଜୀବନ ପ୍ରସ୍ତୁତ କରୁଛୁ । ତେଣୁ ଆମେମାନେ ଯଦି ଏହି ଜୀବନ ଭଗବତ୍ ସାମ୍ରାଜ୍ୟକୁ ଉନ୍ନୀତ ହେବା ନିମିତ୍ତ ପ୍ରସ୍ତୁତ କରିପାରୁ, ତାହାହେଲେ ନିଶ୍ଚିତ ଭାବରେ, ଏହି ଭୌତିକ ଶରୀର ତ୍ୟାଗ କଲାପରେ.... ଭଗବାନ କହୁଛନ୍ତି ଯଂ ପ୍ରୟାତି, ଯିଏ ଯାଏ, ସ ମଦ୍ ଭାବମ୍ ଯାତି(BG 8.5), ମଦ୍ ଭାବମ୍.... ସେ ଭଗବାନଙ୍କ ସଦୃଶ ଦିବ୍ୟଶରୀର ବା ପରମ ପ୍ରକୃତି ଲାଭ କରେ । ଆମେ ପୂର୍ବରୁ ବର୍ଣ୍ଣନା କରିଛୁ ଯେ, ବିଭିନ୍ନ ପ୍ରକାରର ଅନ୍ତର୍ଜ୍ଞାନବାଦୀ ଅଛନ୍ତି । ବ୍ରହ୍ମବାଦୀ,ପରତ୍ମାବାଦୀ ଓ ଭକ୍ତଗଣ । ପରବ୍ୟୋମରେ ବା ବ୍ରହ୍ମଜ୍ୟୋତିରେ ଦିବ୍ୟ ଗ୍ରହମାନ ଅଛନ୍ତି, ଅସଂଖ୍ୟ ଦିବ୍ୟ ଗ୍ରହ, ଆମେ ପୂର୍ବରୁ ଆଲୋଚନା କରିଛୁ । ଏବଂ ସେହି ଗ୍ରହମାନଙ୍କ ସଂଖ୍ୟା, ଏହି ଭୌତିକ ଜଗତରେ ଥିବା ସମସ୍ତ ବ୍ରହ୍ମାଣ୍ତରୁ ଯଥେଷ୍ଟ ଅଧିକ ।

ଏହି ଭୌତିକ ଜଗତ ଏକାଂଶେନ ସ୍ଥିତୋ ଜଗତ୍(BG 10.42) ଅଟେ । ଏହା ସମଗ୍ର ସୃଷ୍ଟିର ଏକଚତୁର୍ଥାଂଶ ଅଟେ । ସୃଷ୍ଟିର ତିନିଚତୁର୍ଥାଂଶ ଚିଦ୍ ଜଗତ ଅଟେ । ଏବଂ ସୃଷ୍ଟିର ଏହି ଏକଚତୁର୍ଥାଂଶରେ ଏହିପରି ଅସଂଖ୍ୟ ବ୍ରହ୍ମାଣ୍ତ ଅଛନ୍ତି । ଯାହା ଆମେ ବର୍ତ୍ତମାନ ସମୟରେ ଅନୁଭବ କରୁଛୁ । ଏବଂ ଏକ ବ୍ରହ୍ମାଣ୍ତରେ ଅସଂଖ୍ୟ ଗ୍ରହ ଅଛନ୍ତି । ତେଣୁ ଏ ସମସ୍ତ ଭୌତିକ ଜଗତରେ(ଅସଂଖ୍ୟ ବ୍ରହ୍ମାଣ୍ତ) ଅସଂଖ୍ୟ ସୂର୍ଯ୍ୟ ଓ ନକ୍ଷତ୍ର ଓ ଚନ୍ଦ୍ର ଅଛନ୍ତି, କିନ୍ତୁ ଏ ସମସ୍ତ ଭୌତିକ ଜଗତ ସମଗ୍ର ସୃଷ୍ଟିର କେବଳ ଏକଚତୁର୍ଥାଂଶ । ତିନିଚତୁର୍ଥାଂଶ ସୃଷ୍ଟି ପରବ୍ୟୋମରେ ରହିଛି । ବର୍ତ୍ତମାନ, ଏହି ମଦ୍ ଭାବମ୍, ଯିଏ ପରଂବ୍ରହ୍ମଙ୍କ ଠାରେ ଲୀନ ହୋଇଯିବାକୁ ଇଛା କରେ, ସେମାନେ ଭଗବାନଙ୍କର ବ୍ରହ୍ମଜ୍ୟୋତିରେ ଲୀନ ହୋଇଯାନ୍ତି । ମଦ୍ ଭାବମ୍ ଅର୍ଥାତ୍ ବ୍ରହ୍ମଜ୍ୟୋତି ଏବଂ ବ୍ରହ୍ମଜ୍ୟୋତିରେ ଥିବା ଦିବ୍ୟ ଗ୍ରହ । ଏବଂ ଯେଉଁ ଭକ୍ତମାନେ, ଭଗବାନଙ୍କର ସଙ୍ଗ ଉପଭୋଗ କରିବାକୁ ଇଛା କରନ୍ତି, ସେମାନେ ବୈକୁଣ୍ଠଲୋକରେ ପ୍ରବେଶ କରନ୍ତି । ଅସଂଖ୍ୟ ବୈକୁଣ୍ଠଲୋକ ଅଛି, ଏବଂ ଭଗବାନ, ପରମେଶ୍ଵର ଶ୍ରୀକୃଷ୍ଣ, ଭଗବାନ ତାଙ୍କର ସ୍ଵାଂଶ ବିସ୍ତାର କରି, ଚତୁର୍ଭୁଜ ନାରାୟଣ ରୂପରେ ବିଭିନ୍ନ ନାମରେ ବିଦ୍ୟମାନ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଓ ମାଧବ, ଗୋବିନ୍ଦ... ସେହି ଚତୁର୍ଭୁଜଧାରୀ ନାରାୟଣଙ୍କର ଅସଂଖ୍ୟ ନାମ ଅଛି । ତେଣୁ ଏହି ଗ୍ରହମାନଙ୍କ ମଧ୍ୟରୁ ଏକ ଗ୍ରହ, ମଦ୍ ଭାବ ଅଟେ, ଏହା ମଧ୍ୟ ପରମ ପ୍ରକୃତିପରି । ତେଣୁ କୌଣସି ଅନ୍ତର୍ଜ୍ଞାନବାଦୀ ଜୀବନର ଶେଷ ସମୟରେ, ଯଦି ବ୍ରହ୍ମଜ୍ୟୋତି କଥା ଭାବେ, କିମ୍ଵା ପରମାତ୍ମାଙ୍କର ଧ୍ୟାନ କରେ, କିମ୍ଵା ପରମପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଚିନ୍ତା କରେ, ସବୁ କ୍ଷେତ୍ରରେ, ସେମାନେ ପରବ୍ୟୋମରେ ପ୍ରବେଶ କରନ୍ତି । କିନ୍ତୁ କେବଳ ଭକ୍ତମାନେ, ଯେଉଁମାନେ ଭଗବାନଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାନ୍ତି, ସେମାନେ ବୈକୁଣ୍ଠଲୋକ କିମ୍ବା ଗୋଲକ ବୃନ୍ଦାବନରେ ପ୍ରବେଶ କରନ୍ତି । ଭଗବାନ୍ କହୁଛନ୍ତି, ଯଃ ପ୍ରୟାତି ସ ମଦ୍ ଭାବମ୍ ଯାତି ନାସ୍ତ୍ୟତ୍ର ସଂଶୟଃ(BG 8.5) ଏଥିରେ କୌଣସି ସନ୍ଦେହ ନାହିଁ । ଏହାକୁ ଅବିଶ୍ଵାସ କରିବା ଉଚିତ ନୁହେଁ । ଏହା ହେଉଛି ପ୍ରଶ୍ନ ।

ତେବେ ତୁମେ ଜୀବନସାରା ଭଗବଦ୍ ଗୀତା ପଢ଼ୁଅଛ, କିନ୍ତୁ ଭଗବାନ୍ ଯେବେ କିଛି କହୁଛନ୍ତି ଯଦି ତାହା ଆମ କଳ୍ପନା ସହ ମେଳ ଖାଉନାହିଁ, ତେବେ ଆମେ ତାହାକୁ ବହିସ୍କାର କରୁ । ତାହା ଭଗବଦ୍ ଗୀତା ପଢିବାର ପ୍ରକ୍ରିୟା ନୁହେ । ଯେପରିକି ଅର୍ଜୁନ କହିଥିଲେ ସର୍ବମେତଦୃତଂ ମନ୍ୟେ (BG 10.14), "ଆପଣ ଯାହାସବୁ କହିଛନ୍ତି, ମୁଁ ବିଶ୍ଵାସ କରୁଛି ।" ଏହିପରିଭାବରେ, ଶୁଣ । ଭଗବାନ୍ କହୁଛନ୍ତି ମୃତ୍ୟୁ ସମୟରେ, ଯେକେହି ବ୍ରହ୍ମ କିମ୍ବା ପରମାତ୍ମା କିମ୍ବା ଭଗବାନଙ୍କ ରୂପରେ ତାଙ୍କର ଚିନ୍ତନ କରିବ, ନିଶ୍ଚିତରେ ସେ ପରବ୍ୟୋମରେ ପ୍ରବେଶ କରିବ ଏଥିରେ କିଛି ସନ୍ଦେହ ନାହିଁ । କେହି ମଧ୍ୟ ଏହାକୁ ଅବିଶ୍ଵାସ କରିବା ଉଚିତ ନୁହେଁ । ଏବଂ ଏହାର ପ୍ରକ୍ରିୟା, ସାଧାରଣ ନିୟମ ମଧ୍ୟ ଭଗବଦ୍ ଗୀତାରେ ବର୍ଣନା କରାଯାଇଅଛି, କେମିତି ଜଣେ ଭଗବଦ୍ ଧାମକୁ ପ୍ରବେଶ କରିପାରିବ କେବଳ ମୃତ୍ୟୁ ସମୟରେ ଭଗବାନଙ୍କ ଚିନ୍ତନ କରିଲେ । କାରଣ ଏହାର ସାଧାରଣ ନିୟମ ମଧ୍ୟ ବର୍ଣ୍ଣନା କରାଯାଇଅଛି:

ଯଂ ଯଂ ବାପି ସ୍ମରନ୍ ଭାବଂ
ତ୍ୟଜତ୍ୟନ୍ତେ କଳେବରମ୍
ତଂ ତମେବୈତି କୌନ୍ତେୟ
ସଦା ତଦ୍ ଭାବଭାବିତଃ
(BG 8.6)